feet

ଯୋହନଙ୍କ ସୁସମାଚାର

ଏକ ସତ୍ୟ କାହାଣୀ



ଜୀବନ୍ତ, ଦେହବନ୍ତ ବାକ୍ୟ

1ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ । 2ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ । 3ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ । 4ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ । 5ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ । 6ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ । 7ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ । 8ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ । 9ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ । 10ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ । 11ସେ ଆପଣା ରାଜ୍ୟକୁଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ । 12ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; 13ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କଠାରୁ ଜାତ ହେଲେ । 14ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ । 15ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋ' ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି । 16ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ । 17କାରଣ ମୋଶାଙ୍କ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା । 18କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ ।




ଯୀଶୁଙ୍କ ମନ୍ଦିର ପରିଷ୍କାର

13ସେତେବେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା, ଆଉ ଯୀଶୁ ଯିରୂଶାଲମକୁ ଗଲେ । 14ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ; 15ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ; 16ଆଉ, ସେ କାପ୍ତା ବ୍ୟବସାୟୀମାନଙ୍କୁ କହିଲେ, ଏଗୁଡ଼ାକ ଏଠାରୁ ଘେନିଯାଅ, ମୋହର ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ । 17ତୁମ୍ଭ ଗୃହ ନିମନ୍ତେ ଉଦ୍‍ଯୋଗ ମୋତେ ଗ୍ରାସ କରିବ, ଏହା ଲେଖା ଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା । 18ସେଥିରେ ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏ ସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ ? 19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି । 20ସେଥିରେ ଯିହୂଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କ'ଣ ତାହାକୁ ତିନି ଦିନରେ ତୋଳି ଦେବ ? 21କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ । 22ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ । 23ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ, 24କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ୍‍ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣୁଥିଲେ, 25ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କ'ଣ ଅଛି, ତାହା ସେ ଆପେ ଜାଣୁଥିଲେ ।



ଯୀଶୁ ଓ ନୀକଦୀମ

1ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୂଦୀମାନଙ୍କର ଜଣେ ନେତା । 2ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହି ସବୁ କେହି କରି ପାରେ ନାହିଁ । 3ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ । 4ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇ ପାରେ ? ସେ କ'ଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇ ପାରେ ? 5ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ । 6ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା । 7ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ । 8ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର । 9ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହି ସବୁ କିପରି ହୋଇ ପାରେ ? 10ଯୀଶୁ ତାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କ'ଣ ଏହି ସବୁ ବୁଝୁ ନାହଁ ? 11ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ । 12ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ ? 13ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ । 14ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, 15ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ । 16କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । 17ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ । 18ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ । 19ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ । 20କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ । 21କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ ।



ଯୀଶୁ ଓ ଶମିରୋଣୀୟା ସ୍ତ୍ରୀ

1ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି 2(ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ, 3ସେତେବେଳେ ସେ ଯିହୂଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ । 4କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା । 5ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ; 6ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା । ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ । ସେତେବେଳେ ମଧ୍ୟାହ୍ନ ହୋଇଥିଲା । 7ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା । ଯୀଶୁ ତାହାକୁ କହିଲେ, ମୋତେ ପିଇବାକୁ ଦିଅ । 8କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ । 9ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୂଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋ' ହାତରୁ ପିଇବାକୁ ମାଗୁଅଛନ୍ତି ? କାରଣ ଶମିରୋଣୀୟମାନଙ୍କ ସହିତ ଯିହୂଦୀମାନଙ୍କର ବ୍ୟବହାର ନାହିଁ । 10ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ । 11ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି ? 12ଆମ୍ଭମାନଙ୍କର ଯେଉଁ ପିତୃପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ ? 13ଯୀଶୁ ତାହାକୁ ଉତ୍ତର ଦେଲେ, ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ; 14କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ । 15ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥି ନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ । 16ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ । 17ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ । ଯୀଶୁ ତାଙ୍କୁ କହିଲେ, ମୋହର ସ୍ୱାମୀ ନାହିଁ, ଏହା ତ ଠିକ‍ କହିଲ; 18କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ । 19ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି । 20ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମରେ ଅଛି । 21ଯୀଶୁ ତାହାକୁ କହିଲେ, ଆଗୋ ନାରୀ, ମୋ' କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି । 22ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ । 23କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି । 24ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ । 25ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ । 26ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ । 27ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କ'ଣ ଚାହାଁନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ । 28ସେଥିରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ, 29ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା ? 30ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ । 31ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହେଉନ୍ତୁ । 32କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି । 33ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା ? 34ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ । 35ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହି ସବୁ କଟାଯିବା ନିମନ୍ତେ ପାଚିଗଲାଣି । 36ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି । 37କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ । 38ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ । 39ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ । 40ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ । 41ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ; 42ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ ।



ପୁତ୍ରଙ୍କ ଅଧିକାର

19ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରି ପାରନ୍ତି ନାହିଁ । କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହି ସବୁ ସେପ୍ରକାରେ କରନ୍ତି । 20କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହି ସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥି ନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ‍ ମହତ‍ କର୍ମ ଦେଖାଇବେ । 21ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି । 22ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି । 23ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ । 24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି । 25ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ । 26କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି; 27ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ । 28ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, 29ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।



ଯୀଶୁ ଜୀବନଦାୟକ ଆହାର

25ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ ? 26ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ । 27କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ୱର ମୁଦ୍ରାଙ୍କିତ କଲେ । 28ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ୱରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କ'ଣ କରିବାକୁ ହେବ? 29ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ । 30ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନ ସ୍ୱରୂପ କ'ଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରି ପାରୁ ? 31ଆପଣ କ'ଣ ସାଧନ କରୁଅଛନ୍ତି ? ଆମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ । 32ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାଁନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି; 33କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ୱରଦତ୍ତ ଆହାର । 34ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ । 35ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ । 36କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି । 37ପିତା ଯେସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ' ନିକଟକୁ ଆସିବେ; ଆଉ, ଯେ ମୋ' ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ; 38କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି । 39ଆଉ, ମୋହର ପ୍ରେରଣକର୍ତ୍ତା ଯେସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା । 40କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି । 41ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ, ସେ ଏହା କହିବାରୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 42ଏ କ'ଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କ'ଣ ଏହାର ପିତାମାତାକୁ ଜାଣୁ ନାହୁଁ ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି ? 43ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣା ଆପଣା ମଧ୍ୟରେ ବଚସା କର ନାହିଁ । 44ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ' ନିକଟକୁ ଆସି ପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । 45ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ । ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ' ନିକଟକୁ ଆସେ । 46କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି । 47ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି । 48ମୁଁ ଜୀବନଦାୟକ ଆହାର । 49ତୁମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ । 50କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ । 51ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି । 52ଏଥିରେ ଯିହୂଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ ? 53ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ । 54ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । 55କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ । 56ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ । 57ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ' ହେତୁ ଜୀବିତ ରହିବ । 58ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ । 59ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ ।



ଯୀଶୁ ଜଗତର ଜ୍ୟୋତିଃ

12ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । 13ସେଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ତୁମ୍ଭେ ନିଜ ବିଷୟରେ ସାକ୍ଷ୍ୟ ଦେଉଅଛ, ତୁମ୍ଭର ସାକ୍ଷ୍ୟ ସତ୍ୟ ନୁହେଁ । 14ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ । 15ତୁମ୍ଭେମାନେ ମନୁଷ୍ୟ ଭାବରେ ବିଚାର କରିଥାଅ, ମୁଁ କାହାରି ବିଚାର କରେ ନାହିଁ । 16କିନ୍ତୁ ମୁଁ ଯଦି ବିଚାର କରେ, ତେବେ ସୁଦ୍ଧା ମୋହର ବିଚାର ଯଥାର୍ଥ; କାରଣ ମୁଁ ଏକାକୀ ନୁହେଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି । 17ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି । 18ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ' ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି । 19ସେଥିରେ ସେମାନେ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁମ୍ଭର ପିତା କାହାନ୍ତି ? ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ ମୋତେ ଜାଣ ନାହିଁ କିମ୍ବା ମୋହର ପିତାଙ୍କୁ ମଧ୍ୟ ଜାଣ ନାହିଁ; ଯଦି ମୋତେ ଜାଣନ୍ତ, ତେବେ ମୋହର ପିତାଙ୍କୁ ମଧ୍ୟ ଜାଣନ୍ତ । 20ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା ।



ଜନ୍ମାନ୍ଧକୁ ଦୃଷ୍ଟି ପ୍ରଦାନ

1ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ । 2ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା ? ନିଜେ ନା ଏହାର ପିତାମାତା ? 3ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି । 4ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି । 5ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ । 6ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ, 7ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା । 8ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ ? 9କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି । ସେ କହିଲା, ମୁଁ ସେହି । 10ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା ? 11ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶିଲୋହକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି । 12ସେମାନେ ତାହାକୁ ପଚାରିଲେ, ସେ କାହିଁ ? ସେ କହିଲା, ମୁଁ ଜାଣେ ନାହିଁ ।



ଯୀଶୁ ଉତ୍ତମ ମେଷପାଳକ

7ତେଣୁ ଯୀଶୁ ପୁନର୍ବାର କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର । 8ଯେତେ ଜଣ ମୋ' ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ । 9ମୁଁ ଦ୍ୱାର, ଯଦି କେହି ମୋ' ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ । 10ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି । 11ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ । 12ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ), 13କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ । 14ମୁଁ ଉତ୍ତମ ମେଷପାଳକ । ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ, 15ସେହିପରି ମୁଁ ମୋ' ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋ' ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦିଏ । 16ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ । 17ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ । 18କେହି ମୋ'ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ । ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି । ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି । 19ଏହି ସମସ୍ତ କଥା ହେତୁ ଯିହୂଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା । 20ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ ? 21ଅନ୍ୟମାନେ କହିଲେ, ଏହି ସବୁ କଥା ତ ଭୂତ ଲାଗିଥିବା ଲୋକର ନୁହେଁ; ଭୂତ କ'ଣ ଅନ୍ଧର ଆଖି ଫିଟାଇ ପାରେ ?



ଯୀଶୁଙ୍କ ସନ୍ଧାନରେ କେତେକ ଗ୍ରୀକ୍‍ ଲୋକ

20ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ । 21ସେମାନେ ଗାଲିଲୀସ୍ଥ ବେଥ୍‍ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା । 22ଫିଲିପ୍ପ ଯାଇ ଆନ୍ଦ୍ରୀୟଙ୍କୁ କହିଲେ, ପୁଣି, ଆନ୍ଦ୍ରୀୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ । 23ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ । 24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ । 25ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ । 26କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ ।



ନୂତନ ଆଜ୍ଞା

30ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ । 31ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ୱର ମହିମାନ୍ୱିତ ହେଲେ । 32ଯଦି ଈଶ୍ୱର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ୱର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ । 33ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି । ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୂଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି । 34ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର । 35ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଵାରା ଜ୍ଞାତ ହେବେ ।



ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ

1ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋ'ଠାରେ ମଧ୍ୟ ବିଶ୍ୱାସ କର । 2ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; 3ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି । 4ପୁଣି, ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତାହାର ପଥ ତୁମ୍ଭେମାନେ ଜାଣ । 5ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହିଁ; ପଥ ବା କିପରି ଜାଣି ପାରୁ ? 6ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ । 7ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ । 8ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ । 9ଯୀଶୁ ତାହାଙ୍କୁ କହିଲେ, ଫିଲିପ୍ପ, ଏତେକାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କ'ଣ ମୋତେ ଜାଣିଲ ନାହିଁ ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ ? 10ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ଏକଥା କ'ଣ ବିଶ୍ୱାସ କରୁ ନାହଁ ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହି ସବୁ ମୋ' ନିଜରୁ କହେ ନାହିଁ, କିନ୍ତୁ ପିତା ମୋ'ଠାରେ ଥାଇ ଆପଣା କର୍ମ କରୁଅଛନ୍ତି । 11ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର । 12ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ'ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହି ସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ‍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି । 13ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି । 14ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।

ପବିତ୍ର ଆତ୍ମାଙ୍କ ଦାନର ପ୍ରତିଜ୍ଞା

15ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ । 16ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ, 17ଅର୍ଥାତ୍‍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ । ଜଗତ ତାହାଙ୍କୁ ଗ୍ରହଣ କରି ପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ । 18ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି । 19ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ; ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ, ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ । 20ମୁଁ ଯେ ମୋହର ପିତାଙ୍କଠାରେ ପୁଣି, ତୁମ୍ଭେମାନେ ଯେ ମୋ'ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ । 21ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି । 22ଯିହୂଦା (ଇଷ୍କାରିୟୋତୀୟ ନୁହେଁ) ତାହାଙ୍କୁ କହିଲେ, ହେ ପ୍ରଭୁ, କ'ଣ ହେଲା ଯେ, ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି ? 23ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା । 24ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର । 25ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଲି । 26କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍‍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ' ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହି ସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ । 27ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ । ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ । 28ମୁଁ ଯେ ଯାଉଅଛି ଓ ତୁମ୍ଭମାନଙ୍କ ନିକଟକୁ ପୁଣି, ଆସୁଅଛି, ମୋହର ଏହି କଥା ତ ଶୁଣିଅଛ । ଯଦି ତୁମ୍ଭେମାନେ ମୋତେ ପ୍ରେମ କରୁଥାଆନ୍ତ, ତାହାହେଲେ ମୁଁ ମୋହର ପିତାଙ୍କ ନିକଟକୁ ଯାଉଅଛି ବୋଲି ଆନନ୍ଦ କରିଥାଆନ୍ତ, କାରଣ ପିତା ମୋ'ଠାରୁ ମହାନ‍ । 29ଆଉ, ତାହା ଘଟିବା ସମୟରେ ତୁମ୍ଭେମାନେ ଯେପରି ବିଶ୍ୱାସ କରିବ, ଏଥି ନିମନ୍ତେ ତାହା ଘଟିବା ପୂର୍ବେ ମୁଁ ଏବେ ତୁମ୍ଭମାନଙ୍କୁ କହିଅଛି । 30ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି; ଆଉ, ମୋ'ଠାରେ ତାହାର କିଛି ହିଁ ନାହିଁ; 31କିନ୍ତୁ ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣି ପାରେ, ଏଥି ନିମନ୍ତେ ଏପରି ଘଟୁଅଛି । ଉଠ, ଆମ୍ଭେମାନେ ଏହି ସ୍ଥାନରୁ ଚାଲିଯାଉ ।



ଯୀଶୁ ପ୍ରକୃତ ଦ୍ରାକ୍ଷାଲତା

1ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ । 2ମୋ'ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି । 3ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିଯୋଗୁଁ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ । 4ମୋ'ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି । ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ'ଠାରେ ନ ରହିଲେ ଫଳ ଫଳି ପାର ନାହିଁ । 5ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋ'ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋ' ବିନା ତୁମ୍ଭେମାନେ କିଛି କରି ପାର ନାହିଁ । 6କେହି ଯେବେ ମୋ'ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ । 7ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ । 8ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ । 9ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ । 10ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ । 11ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥି ନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି । 12ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା । 13ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ । 14ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ । 15ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କ'ଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହି ସବୁ ତୁମ୍ଭମାନଙ୍କୁ ଜଣାଇଅଛି । 16ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି । ସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ; 17ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି ।



ଯୀଶୁଙ୍କ ମହାଯାଜକୀୟ ପ୍ରାର୍ଥନା

1ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, 2ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ । 3ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ । 4ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି । 5ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ବାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର । 6ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି । 7ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହି ସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି; 8କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହି ସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି । 9ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର; 10ଯାହା ଯାହା ମୋହର, ସେହି ସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହି ସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି । 11ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି । ପବିତ୍ର ପିତଃ, ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି । 12ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ନାମରେ ରକ୍ଷା କରି ଅାସିଅଛି (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥି ନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ । 13କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି । 14ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି । 15ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି । 16ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି । 17ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ । 18ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି । 19ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି । 20ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋ'ଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, 21ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋ'ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ । 22ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି; 23ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋ'ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ । 24ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋହର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା । 25ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି; 26ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।



ଯୀଶୁଙ୍କ ମୃତ୍ୟୁ

28ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି । 29ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ସ୍ପଞ୍ଜ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ । 30ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା; ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ । 31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାରରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୂଦୀମାନେ ପୀଲାତଙ୍କୁ ଅନୁରୋଧ କଲେ । 32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ । 33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା । 35ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି । 36କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ । 37ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ ।



ପୁନରୁତ୍ଥିତ ଯୀଶୁଙ୍କ ଶିଷ୍ୟମାନଙ୍କୁ ଦର୍ଶନ

19ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୂଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । 20ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ । ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ । 21ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି । 22ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର । 23ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ ।